ଲଗାତାର ଦୁଇଟି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦୁଇଟି ବ୍ରୋଞ୍ଜ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ଏହି ଓଡ଼ିଆ ଖେଳାଳି। ସାଥୀ ଖେଳାଳି ବିରାଜ କୁଭାଲେଙ୍କ ସହ ମିକ୍ସଡ୍ ଡବଲ୍ସ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି ଋତୁପର୍ଣ୍ଣା।
ଅକ୍ଟୋବର ୨୭ରୁ ନଭେମ୍ବର ୧ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଆୟୋଜିତ ‘କେବିଏ ଡାଇମଣ୍ଡ ଜୁବିଲି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଚ୍ୟାଲେଞ୍ଜ’ରେ ପ୍ରଥମ ବ୍ରୋଞ୍ଜ ପଦକ ଜିତିଥିଲେ ଋତୁପର୍ଣ୍ଣା ଓ ବିରାଜଙ୍କ ଯୋଡ଼ି। ଏହି ପ୍ରତିଯୋଗିତାର ମିକ୍ସଡ୍ ଡବଲ୍ସ ସେମିଫାଇନାଲ୍ରେ ସି. ଲାଲରାମସାଙ୍ଗା ଓ ଆଞ୍ଜେଲ୍ ପୁନେରାଙ୍କ ଯୋଡ଼ିଙ୍କଠାରୁ ୧୧-୨୧, ୯-୨୧ରେ ପରାସ୍ତ ହୋଇଥିଲେ ମଧ୍ୟ ସେମିଫାଇନାଲ୍ରେ ପହଞ୍ଚିବା ସହ ବ୍ରୋଞ୍ଜ ପଦକ ନିଶ୍ଚିତ କରିଥିଲେ।
ଏହାପରେ ନଭେମ୍ବର ୩ରୁ ୮ ତାରିଖ ପର୍ଯ୍ୟନ୍ତ ହାଇଦ୍ରାବାଦରେ ଆୟୋଜିତ ‘ତେଲେଙ୍ଗାନା ଇଣ୍ଡିଆ ଇଣ୍ଟରନ୍ୟାସନାଲ ଚ୍ୟାଲେଞ୍ଜ’ରେ ମଧ୍ୟ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଥିଲେ ଏହି ଯୋଡ଼ି। ନଭେମ୍ବର ୭ରେ ଖେଳାଯାଇଥିବା ସେମିଫାଇନାଲ୍ରେ ଋଷିଆର ରୋଡିଅନ୍ ଅଲିମୋବ୍ ଓ ଅଲିନା ଡାଭଲେଟୋଭାଙ୍କ ଯୋଡ଼ିଙ୍କଠାରୁ ୧୬-୨୧, ୧୬-୨୧ରେ ପରାସ୍ତ ହୋଇଥିଲେ। ତଥାପି ସେମିଫାଇନାଲ୍ରେ ପହଞ୍ଚିବାରୁ ଦ୍ୱିତୀୟ ବ୍ରୋଞ୍ଜ ପଦକ ହାସଲ କରିଥିଲେ ଋତୁପର୍ଣ୍ଣା ଓ ବିରାଜ।
ମାତ୍ର କିଛି ଦିନର ବ୍ୟବଧାନରେ ଦୁଇଟି ଭିନ୍ନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଦୁଇଟି ବ୍ରୋଞ୍ଜ ପଦକ ଜିତିବା ଋତୁପର୍ଣ୍ଣାଙ୍କ ଦକ୍ଷତା, ପରିଶ୍ରମ ଓ ନିରନ୍ତର ପ୍ରଦର୍ଶନର ପ୍ରମାଣ। ତାଙ୍କର ଏହି ସଫଳତା ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇବା ସହ ରାଜ୍ୟର ଯୁବ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ମଧ୍ୟ ନୂଆ ପ୍ରେରଣା ଯୋଗାଇଛି।
ଓଡ଼ିଶାର ଏହି ପ୍ରତିଭାବାନ ସଟଲର୍ଙ୍କ ଲଗାତାର ଅନ୍ତର୍ଜାତୀୟ ସଫଳତାକୁ ନେଇ ଗର୍ବିତ ସାରା ରାଜ୍ୟ। ଆଗାମୀ ଦିନରେ ମଧ୍ୟ ଋତୁପର୍ଣ୍ଣା ଏହି ସଫଳତାର ଧାରା ଜାରି ରଖି ଆହୁରି ଅନେକ ପଦକ ହାସଲ କରନ୍ତୁ, ଏହା ହିଁ ସମସ୍ତଙ୍କ ଆଶା।


